ଗଣିଆ -(ମନୋରଞ୍ଜନ ମଳିକ )-ବିଶ୍ବପ୍ରସିଦ୍ଧ ପୂରୀ ରଥଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି । ନୟାଗଡ଼ ଜିଲ୍ଲା ଗଣିଆ ବ୍ଳକ ଛାମୁଣ୍ଡିଆ ପଞ୍ଚାୟତ ଅନ୍ତର୍ଗତ ବଡମୂଳ ଖଳଖଳା ସେତୁ ନିକଟସ୍ଥ ମା ବଡରାଉଳଙ୍କ ପୀଠରେ ମଙ୍ଗଳବାର ପୂର୍ବାହ୍ନରେ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା ହୋଇଯାଇଛି । ରଥକାଠ ବରଣ କରିବା ପାଇଁ ପୁରୀରୁ ଏକ ପ୍ରତିନିଧି ମଣ୍ଡଳୀ ଶ୍ରୀଜୀଉଙ୍କ ଆଜ୍ଞାମାଳ,ପାଟପତନି,
ଖଣ୍ଡୁଆ ପାଟ, ମହାପ୍ରସାଦ ଧରି ନୟାଗଡ଼ରେ ପହଞ୍ଚିବା ପରେ ମଙ୍ଗଳବାର ପାରମ୍ପରିକ ପ୍ରଥା ଅନୁଯାୟୀ ମହାନଦୀ ବନ୍ୟପ୍ରାଣୀ ଡ଼ିଭିଜନ ଅଞ୍ଚଳରେ ଥିବା ବେଠିଆସାହି ଗ୍ରାମର ଜଗନ୍ନାଥ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ପରେ ବଡମୂଳ ଠାରେ ମା ବଡରାଉଳଙ୍କ ପୀଠରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଜଗନ୍ନାଥ ଦଳର ମାର୍ଗଦର୍ଶକ ସନ୍ଥସେବକ ଲଳିତ ନାରାୟଣ ଦାସଙ୍କ ନେତୃତ୍ବରେ ସଂକୀର୍ତ୍ତନ କରି ପାଛୋଟି ନେଇଥିଲେ । ମା ବଡରାଉଳଙ୍କ ପୀଠରେ ହୋମଯଜ୍ଞ, ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ନୟାଗଡ଼ ଡିଏଫ୍ଓ କ୍ଷମା ଷଡ଼ଙ୍ଗୀ, ଦଶପଲ୍ଲା ରେଞ୍ଜର ସୁଦର୍ଶନ ଦେହୁରୀଙ୍କ ପୈରୋହିତ୍ୟରେ ପୁରୀରୁ ଆସିଥିବା ବରିଷ୍ଠ ରଥ ତତ୍ତ୍ଵାବଧାରକ ସୁଦର୍ଶନ ମେକାପ,ରଥ ଅମିନ ଲକ୍ଷ୍ମଣ ମହାପାତ୍ର,ଭୋଇ ସର୍ଦ୍ଦାର ରବି ଭୋଇଙ୍କ ସମେତ ବନବିଭାଗର ପଦାଧିକାରୀ ମାନେ ଯୋଗ ଦେଇଥିଲେ । ସୂଚନାଯୋଗ୍ୟ ଯେ ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବା ବେଳେ ୫୧ ଖଣ୍ଡ କାଠ ବଳକା ରହିଥିବାରୁ ଚଳିତବର୍ଷ ୮୧୪ ଖଣ୍ଡ ଅଶନ, ଧଉରା, ଫାଶି, ସିମିଳି କାଠ ଆବଶ୍ୟକ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବନବିଭାଗକୁ ଅବଗତ କରାଯାଇଛି ।
More Stories
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା