March 17, 2026

Utkal Sambad

ଭାରତକୁ ଲାଗିଲା ଶକ୍ତ ଧକ୍କା; ସସ୍‌ପେଣ୍ଡ ହେଲେ ପାରା ଅଲିମ୍ପିଆନ୍ ପ୍ରମୋଦ ଭଗତ

ପ୍ୟାରିସ ପାରା ଅଲିମ୍ପିକ୍ସ ପୂର୍ବରୁ ଭାରତକୁ ଲାଗିଲା ଶକ୍ତ ଧକ୍କା। ଡୋପ୍ ଟେଷ୍ଟରେ ଧରା ପଡ଼ି ୧୮ ମାସ ପାଇଁ ସସ୍‌ପେଣ୍ଡ ହେଲେ ପାରା ଅଲିମ୍ପିଆନ୍ ପ୍ରମୋଦ ଭଗତ। ଅନ୍ତର୍ଜାତୀୟ ପାରା ଅଲିମ୍ପିଆନ୍ ତଥା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ୧୮ ମାସ ପାଇଁ ସସପେଣ୍ଡ କରିଛି ବିଶ୍ୱ ବ୍ୟାଡମିଣ୍ଟନ ଫେଡେରେସନ। ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ଅଭିଯୋଗରେ ତାଙ୍କୁ ସସପେଣ୍ଡ କରାଯାଇଛି। ଫଳରେ ଚଳିତବର୍ଷ ପ୍ୟାରିସ୍ ପାରା ଅଲିମ୍ପିକ୍ସରେ ଆଉ ଭାଗ ନେଇପାରିବେନି ପ୍ରମୋଦ ଭଗତ।ଓଡ଼ିଶାର ଗର୍ବ ତଥା ପ୍ରଥମ ଓଡ଼ିଆ ଖେଳାଳି ଭାବରେ ଭାରତର ଶ୍ରେଷ୍ଠ କ୍ରୀଡା ସମ୍ମାନ ‘ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର’ ଲାଭ କରି ସାରିଛନ୍ତି ପାରାଲିମ୍ପିଆନ୍‌ ପ୍ରମୋଦ ଭଗତ। ମାତ୍ର ବିଡବ୍ଲ୍ୟୁଏଫର ଏଭଳି ନିଷ୍ପତ୍ତି ଆସିବା ପରେ ବରଗଡ଼ ଜିଲ୍ଲା, ଓଡ଼ିଶା ତଥା ପୁରା ଦେଶବାସୀଙ୍କ ମଧ୍ୟରେ ନିରାଶା ଭାବ ଖେଳିଯାଇଛି। ଏହା କ୍ରୀଡ଼ାପ୍ରେମୀଙ୍କୁ ଶକ୍ତ ଧକ୍କା ଦେଇଛି। ବିଶ୍ୱ ସ୍ତରରେ ପାରା-ବ୍ୟାଡମିଣ୍ଟନରେ ଭାରତର ସମ୍ମାନ ପ୍ରତିଷ୍ଠା କରିବାରେ ତାଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ । ହେଲେ ପ୍ୟାରିସ ପାରା ଅଲିମ୍ପିକ୍ସ ପୂର୍ବରୁ ନିଲମ୍ବିତ ହେବା ଘଟଣା ତାଙ୍କର ପଦକ ଆଶାକୁ ଧୂଳିସାତ କରିଦେଇଛି।