ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରଖ୍ୟାତ ଅର୍ଥନୀତିଜ୍ଞ ଓ ରାଜନେତା ମନମୋହନ ସିଂହ ଆଉ ନାହାନ୍ତି। ଦିଲ୍ଲୀ ଏମ୍ସରେ ୯୨ ବର୍ଷରେ ଶ୍ରୀ ସିଂହ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ଆଜି ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏମ୍ସର ଏମର୍ଜେନ୍ସି ୱାର୍ଡରେ ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରିଥିଲେ। ରାତି ୯.୫୧ରେ ସେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ଅନ୍ତିମ ସମୟରେ ଶ୍ରୀ ସିଂହଙ୍କ ପାଖରେ ତାଙ୍କ ପତ୍ନୀ ଗୁରୁଶରଣ କୌର ଓ ୩ ଝିଅ ଉପସ୍ଥିତ ଥିଲେ। ଆଜି ତାଙ୍କ ବିୟୋଗରେ ପୂରା ଦେଶରେ ଶୋକରଚ୍ଛାୟା ଖେଳି ଯାଇଛି। ତାଙ୍କ ମୃତ୍ୟୁ ଖବର ପାଇଁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦିଲ୍ଲୀ ଏମ୍ସରେ ପହଞ୍ଚିଛନ୍ତି। ଆରବିଆର ଗଭର୍ଣ୍ଣର ଭାବେ କାମ କରି ସାରିଥିବା ମନମୋହନ ସିଂହ ୨୦୦୪ରୁ ୨୦୧୪ ଯାଏ ଦେଶର ପ୍ରଧାନମନ୍ତ୍ରୀ ଭାବେ କାମ କରିଥିଲେ। ସେ ଦେଶର ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଥିଲେ। ତାଙ୍କୁ ୧୯୮୭ରେ ଭାରତର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମବିଭୂଷଣ, ୧୯୯୫ରେ ଭାରତୀୟ ବିଜ୍ଞାନ କଂଗ୍ରେସର ଜବାହାରଲାଲ ନେହରୁ ଜନ୍ମ ଶତବାର୍ଷିକୀ ପୁରସ୍କାର, ୧୯୯୩ ଓ ୧୯୯୪ରେ ବର୍ଷର ଶ୍ରେଷ୍ଠ ଅର୍ଥମନ୍ତ୍ରୀ ଭାବେ ଏସିଆ ମନି ପୁରସ୍କାର, ୧୯୯୩ରେ ବର୍ଷର ଶ୍ରେଷ୍ଠ ଅର୍ଥମନ୍ତ୍ରୀ ଭାବେ ୟୁରୋମନି ପୁରସ୍କାର ମିଳିଥିଲା।
More Stories
ଟାଇମ୍ ୧୦୦ ଫିଲାନଥ୍ରୋପି ୨୦୨୫’ ବିଶ୍ୱ ତାଲିକାରେ ମୁକେଶ ଏବଂ ନୀତା ଅମ୍ବାନୀ ସାମିଲ
ମହାକୁମ୍ଭରେ ଜିଓର ୫ଜି ସ୍ପିଡ୍ ଏୟାରଟେଲ୍ ଅପେକ୍ଷା ଉନ୍ନତ ରହିଥିଲା: ଓକଲା ରିପୋର୍ଟ
ଆନ୍ତର୍ଜାତୀୟ ମହିଳା ଦିବସରେ ମହିଳାମାନଙ୍କୁ ଫିଟନେସ୍ ମନ୍ତ୍ର ଦେଲେ ନୀତା ଅମ୍ବାନୀ