June 27, 2025

Utkal Sambad

ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ: ବରଗଡ଼ ଜିଲାବାସୀଙ୍କୁ ବ୍ୟଥିତ କରିଛି

ବରଗଡ଼: ପ୍ରସ୍ତାବିତ ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ ଦୀର୍ଘବର୍ଷର ପ୍ରତୀକ୍ଷା। ନିର୍ବାଚନ ଆସିଲେ ଏହି ପ୍ରକଳ୍ପ କଥା ଉଭୟ ଶାସକ ଏବଂ ବିରୋଧୀ ମନେ ପକାଇଥାନ୍ତି। ପ୍ରକଳ୍ପ ନ ହେବାକୁ ନେଇ ପରସ୍ପର ଦୋଷ ଲଦାଲଦି ହୋଇଥାନ୍ତି। ଗତ ବିଜେପୁର ଏବଂ ପଦ୍ମପୁର ଉପନିର୍ବାଚନରୁ ଏହାର ଝଲକ୍‌ ଦେଖିବାକୁ ମିଳିଥିଲା। ପଦ୍ମପୁର ଉପନିର୍ବାଚନ ସମୟରେ ଖୋଦ୍‌ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାରରେ ଆସି ଉକ୍ତ ପ୍ରକଳ୍ପକୁ ଏକ ନିର୍ବାଚନୀ ପ୍ରସଙ୍ଗ ରଖିଥିଲେ ଏବଂ ସେତେବେଳେ ରାଜ୍ୟର ବିଜେଡ଼ି ସରକାର ଉପରେ ସିଧାସଳଖ ଦୋଷ ଲଦିଥିଲେ। ରାଜ୍ୟ ସରକାର ଜମି ଅଧିଗ୍ରହଣ କରୁ ନ ଥିବା ଯୋଗୁ ଉକ୍ତ ରେଳପଥ ପ୍ରକଳ୍ପ ହୋଇ ପାରୁ ନ ଥିବା ସେ କହିଥିଲେ । ଅନ୍ୟପଟେ ଏଥିପାଇଁ ବିଜେଡ଼ିର ରାଜ୍ୟ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ସେତେବେଳେ ଭାଜପାକୁ ଟାର୍ଗେଟ୍‌ କରିଥିଲେ। ରାଜ୍ୟ ସରକାର ବାରମ୍ବାର କେନ୍ଦ୍ରକୁ ଚିଠି ଲେଖୁଛି, କିନ୍ତୁ ଭାଜପା ନେତୃତ୍ୱାଧୀନ କେନ୍ଦ୍ରର ଏନ୍‌ଡ଼ିଏ ସରକାରଙ୍କ ଆନ୍ତରିକତାର ଅଭାବ ଯୋଗୁ ଏହି ପ୍ରକଳ୍ପ ନିର୍ମାଣ ହୋଇପାରୁ ନ ଥିବା ଆଚାର୍ଯ୍ୟ କହିଥିଲେ। ତେବେ ବର୍ତ୍ତମାନ ଉଭୟ ରାଜ୍ୟ ଏବଂ କେନ୍ଦ୍ରରେ ଭାଜପା ସରକାର ଚାଲିଥିବାବେଳେ ଶୁକ୍ରବାର କେନ୍ଦ୍ର କ୍ୟାବିନେଟ୍‌ ଓଡ଼ିଶାର ୬ ରେଳ ପ୍ରକଳ୍ପକୁ ମୋହର ମାରିଛି। କିନ୍ତୁ ସେଥିରେ ବହୁ ପ୍ରତୀକ୍ଷିତ ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପର ନାଁ ନାହିଁ। ଏହା ଜିଲାବାସୀଙ୍କୁ ବ୍ୟଥିତ କରିଛି।