ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଖାପାଖି ବର୍ଷେ ପରେ ଅନୁଷ୍ଠିତ ହେବ। ପଞ୍ଚାୟତ ନିର୍ବାଚନ ପାଇଁ ସଠିକ ସମୟ ଘୋଷଣା ହୋଇ ନଥିଲେ ମଧ୍ୟ ରାଜନୈତିକ ଦଳର ନେତାମାନେ ନିଜନିଜର କ୍ଷେତ୍ର ସଜାଡୁଛନ୍ତି। ରାଜ୍ୟର ଅନେକ ସରପଞ୍ଚ ଏବଂ ସମିତି ସଭ୍ୟ ଦଳ ଡେଉଁଛନ୍ତି। ଏହାରି ମଧ୍ୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ ଏକ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଆଗୁଆ ହୋଇପାରେ। ଏହି ନିର୍ବାଚନ ୨ରୁ ୩ମାସ ପୂର୍ବରୁ ହୋଇପାରେ। ସୂଚନାଯୋଗ୍ୟ, ଦେଶର ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଭୋଟର ତାଲିକାର ‘ସ୍ବତନ୍ତ୍ର ସଘନ ସଂଶୋଧନ’ (ଏସ୍ଆଇଆର୍) ପ୍ରକ୍ରିୟା ଚାଲିଛି। ଆସନ୍ତା ଫେବ୍ରୁଆରି ମାସରେ ଏହା ଶେଷ ହେବ। ଏହାପରେ ତୃତୀୟ ପର୍ଯ୍ୟାୟରେ ଓଡ଼ିଶାରେ ଭୋଟର ତାଲିକାର ଏସ୍ଆଇଆର୍ ହେବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଏହାକୁ ଲକ୍ଷ୍ୟ ରଖି ରାଜ୍ୟରେ ପ୍ରି-ଏସ୍ଆଇଆର୍ କାର୍ଯ୍ୟ ଆରମ୍ଭ ହୋଇସାରିଛି। ଠିକ୍ ଏମିତି ସମୟରେ ଭାରତର ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ। ଓଡ଼ିଶାର ଏସ୍ଆଇଆର୍ ପ୍ରସ୍ତୁତି ସମ୍ପର୍କରେ ସେ ସମୀକ୍ଷା କରିଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ଓଡ଼ିଶାର ଏସ୍ଆଇଆର୍ ପ୍ରକାଶ ପାଇବ ଓ ଏହା ଅନୁଯାୟୀ ରାଜ୍ୟରେ ୨୦୨୭ ମସିହାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରିବାକୁ ପ୍ରସ୍ତୁତି ଚାଲିଛି।

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ