June 26, 2025

Utkal Sambad

ୟୁଏଇରେ ମଧ୍ୟ ବିକ୍ରି ହେବ ରିଲାଏନ୍ସର କାମ୍ପା

 

ରିଲାଏନ୍ସ ପକ୍ଷରୁ ଏଗଥିଆ ଗ୍ରୁପ୍ ସହିତ ସହଭାଗିତା

ପ୍ରାରମ୍ଭରେ କାମ୍ପା କୋଲା, କାମ୍ପା ଲେମନ, କାମ୍ପା ଅରେଞ୍ଜ ଏବଂ କୋଲା ଜିରୋ ଉପଲବ୍ଧ ହେବ

ଦୁବାଇ, ୟୁଏଇ / ବେଙ୍ଗାଲୁରୁ: ରିଲାଏନ୍ସ କଞ୍ଜୁମର ପ୍ରଡକ୍ଟ ଲିମିଟେଡ୍ (ଆରସିପିଏଲ) ୟୁଏଇରେ କାମ୍ପା ବ୍ରାଣ୍ଡ ଶୁଭାରମ୍ଭ କରିଛି। ବିଶ୍ୱର ସର୍ବବୃହତ ଖାଦ୍ୟ ଏବଂ ପାନୀୟ ସୋର୍ସିଂ ଇଭେଣ୍ଟ ଗଲ୍ଫୁଡ୍ ରେ ଏହି ଶୁଭାରମ୍ଭ ହୋଇଛି। ୟୁଏଇର ଏଗଥିଆ ଗ୍ରୁପ୍ ସହିତ ସହଭାଗିତାରେ ଏହା ଆରମ୍ଭ କରାଯାଇଛି। ଏଗଥିଆ ଗ୍ରୁପ୍ ୟୁଏଇର ଅନ୍ୟତମ ପ୍ରସିଦ୍ଧ ଖାଦ୍ୟ ଏବଂ ପାନୀୟ କମ୍ପାନୀ।

ରିଲାଏନ୍ସ କଞ୍ଜୁମର ପ୍ରଡକ୍ଟ ଲିମିଟେଡର ସିଓଓ କେତନ ମୋଦି କହିଛନ୍ତି, “ଆମେ ୫୦ ବର୍ଷରୁ ଅଧିକ ପୁରୁଣା ଭାରତୀୟ ବ୍ରାଣ୍ଡ କାମ୍ପା ସହିତ ୟୁଏଇ ବଜାରରେ ପ୍ରବେଶ କରିବାକୁ ନେଇ ବେଶ ଉତ୍ସାହିତ ରହିଛୁ। ଆମେ ଦୀର୍ଘ ଅବଧି ପାଇଁ ନିବେଶ କରୁଛୁ ଏବଂ ଏହି କ୍ଷେତ୍ରରେ ଦ୍ରୁତ ବିକାଶର ସମ୍ଭାବନା ଦେଖୁଛୁ। ଆମ ପାଖରେ ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ବିଶ୍ୱସ୍ତରୀୟ ଗୁଣବତ୍ତାର ଉତ୍ପାଦ ପ୍ରଦାନ କରିବାର ଆମର ଟ୍ରକ ରେକର୍ଡ ରହିଛି । କାମ୍ପା କେବଳ ଏକ ପାନୀୟ ନୁହେଁ, ଏହା ଏକ ଐତିହ୍ୟର ପୁନରୁଦ୍ଧାର, ଏହାର ଭାରତର ସ୍ୱାଦ। ଆମେ ନିଶ୍ଚିତ ଯେ ୟୁଏଇ ଗ୍ରାହକମାନେ ଏହାର ସତେଜ ସ୍ୱାଦକୁ ଭଲ ପାଇବେ।”

ସହଭାଗିତା ସମ୍ପର୍କରେ ସୂଚନା ଦେଇ ଏଗଥିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏଲନ୍ ସ୍ମିଥ୍ କହିଛନ୍ତି, “କାମ୍ପା କୋଲାକୁ ୟୁଏଇକୁ ଆଣିବା ପାଇଁ ରିଲାଏନ୍ସ କଞ୍ଜୁମର ପ୍ରଡକ୍ଟ ସହ ସହଭାଗୀ ହୋଇ ଆମେ ଅତ୍ୟଧିକ ଆନନ୍ଦିତ। ଏହି ଆଇକନିକ୍ ବ୍ରାଣ୍ଡ ଅନେକଙ୍କ ପାଇଁ ପୁରୁଣା ସ୍ମୃତି ଭଳି ଏବଂ ଆମେ ବିଶ୍ୱାସ କରୁଛୁ ଯେ ଏହା ୟୁଏଇର ମହତ୍ତ୍ୱପୂର୍ଣ୍ଣ ଭାରତୀୟ ପ୍ରବାସୀ ସମୁଦାୟ ଓ ସ୍ଥାନୀୟ ଉପଭୋକ୍ତାଙ୍କ ସହିତ ସମାନ ଭାବରେ ସଂଯୁକ୍ତ ହେବ। ଏହି ସହଭାଗିତା ଏଗଥିଆର ବିବିଧ ପାନୀୟ ପୋର୍ଟଫୋଲିଓକୁ ଆହୁରି ସଶକ୍ତ କରିବ। ଆମର ମଜଭୁତ ବିତରଣ ନେଟୱାର୍କ ଓ ବଜାର ବିଶେଷଜ୍ଞତା ସହିତ ଆମେ ୟୁଏଇରେ ଉପଭୋକ୍ତାଙ୍କ ନୂଆ ପିଢ଼ିଙ୍କ ପାଇଁ କାମ୍ପା କୋଲା ପୁଣିଥରେ ଉପଲବ୍ଧ କରିବାକୁ ନେଇ ବେଶ ଉତ୍ସାହିତ ରହିଛୁ।”

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ କାମ୍ପା ପୋର୍ଟଫୋଲିଓରେ ପ୍ରଥମେ କାମ୍ପା କୋଲା, କାମ୍ପା ଲେମନ ଓ କାମ୍ପା ଅରେଞ୍ଜ ଏବଂ କୋଲା ଜିରୋ ଉପଲବ୍ଧ ହେବ। ଏହାର ଆକର୍ଷଣୀୟ ଲାଲ ଓ ବାଇଗଣୀ ପ୍ୟାକେଜିଂ ଏବଂ ସୁଲଭ ମୂଲ୍ୟର ପ୍ରତିଶୃତି ସହିତ କାମ୍ପା ୟୁଏଇରେ ସଫଳତାର ଆଉ ଏକ କାହାଣୀ ଲେଖିବାକୁ ଯାଉଛି। ସୂଚନା ଯୋଗ୍ୟ ଯେ ରିଲାଏନ୍ସ ୨୦୨୨ ରେ କାମ୍ପା କୋଲା ଅଧିଗ୍ରହଣ କରିଥିଲା​ ଏବଂ ୨୦୨୩ ରେ ଏହାକୁ ଭାରତରେ ପୁନଃ ପ୍ରଚଳନ କରିଥିଲା।