June 26, 2025

Utkal Sambad

ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ନାଲି ଚା’

 ହାତପାଆନ୍ତାରେ ବିନା ମୂଲ୍ୟରେ ଦେଖିବେ ଉଚ୍ଚକୋଟୀର ଚଳଚ୍ଚିତ୍ର
 ସାରା ବିଶ୍ୱ ଦେଖିବ ଗ୍ରାମୀଣ ଜୀବନରେ ଡିଜିଟାଲ ମିଡିଆର ବିପ୍ଲବ
 ବଳିଷ୍ଠ କାହାଣୀ ସହ ସଂଳାପ ଓ ଦମଦାର ଅଭିନୟ
 ଯୁବପିଢ଼ି ଦେଖିବେ ସୋସିଆଲ ମିଡିଆର ପାଓ୍ୱାର
 ଚଳଚ୍ଚିତ୍ର ମାଧ୍ୟମରେ ଆଜିର ସମାଜକୁ ନୂଆ ବାର୍ତ୍ତା ଦେବ ନାଲି ଚା

ଭୁବନେଶ୍ୱର: ସିନେମା ଘରେ ନୁହେଁ ଏବେ ହାତପାଆନ୍ତାରେ ବିନା ମୂଲ୍ୟରେ ଓଡ଼ିଆ ଚଳଚ୍ଚିତ୍ରର ଦମଦାର କାହାଣୀ ଏବଂ ନିଖୁଣ ଅଭିନୟ ଦେଖିବ ସାରା ବିଶ୍ୱ । ଏହି ଚଳଚ୍ଚିତ୍ରରେ ଯୁବପିଢ଼ି ଦେଖିବେ ସୋସିଆଲ ମିଡିଆର ପାଓ୍ୱାର । କାହାଣୀ ଭିତରେ ନିଜକୁ ପାଇବେ ଲକ୍ଷ ଲକ୍ଷ ଯୁବକଯୁବତୀ । ଚଳଚ୍ଚିତ୍ର ମାଧ୍ୟମରେ ଆଜିର ସମାଜକୁ ନୂଆ ବାର୍ତ୍ତା ଦେବା ଲକ୍ଷ୍ୟରେ ୟୁଟ୍ୟୁବରେ ରିଲିଜ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ନାଲି ଚା’ ।
ଭୁବନେଶ୍ୱର ସ୍ଥିତ ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ଦ ନେକେଡ ଆଇ ପ୍ରଡକ୍ସନ ତରଫରୁ ରିଲିଜ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ନାଲି ଚା’। ସ୍ନେହାଶିଷ ଦାସଙ୍କ ନିର୍ଦ୍ଦେଶନାନାରେ ଏହି ଚଳଚ୍ଚିତ୍ରଟି ଓଡ଼ିଶାର ଗ୍ରାମୀଣ କାହାଣୀ ଏବଂ ସୋସିଆଲ ମିଡିଆର ପାଓ୍ୱାର ଉପରେ ପର୍ଯ୍ୟବେସିତ । ଚଳଚ୍ଚିତ୍ରରେ ଅଭିନୟରେ ଅଛନ୍ତି ଅଭିନେତା ସୋମେଶ ମହାନ୍ତି, ଅଭିନେତ୍ରୀ ଗାର୍ଗୀ ମହାନ୍ତି, ଅନୁଭା ସୌର୍ଯ୍ୟ, ଅଭିଷେକ ଗିରି, ଧରିତ୍ରୀ ଖଣ୍ଡୁଆଳ, ମମତା ତ୍ରିପାଠୀ, ପ୍ରସନ ମଞ୍ଜିରି ଦାସ, ସୁନୀଲ ପଟ୍ଟନାୟକ, ହିମାଂଶୁ, ଆଶିଷ, ରାଜେଶ, ଭୋଜରାଜ, ଶ୍ରୁତି ସୁଭଶ୍ରୀ, ପ୍ରଣବ ପ୍ରଶନ ରଥ ପ୍ରମୁଖ ।
ପୂର୍ବରୁ ନାଲି ଚା ଚଳଚ୍ଚିତ୍ରର ଟ୍ରେଲର ଦର୍ଶକଙ୍କ ଲୋକପ୍ରିୟତା ସାଉଁଟିଛି । ଏବେ ଏହି ଚଳଚ୍ଚିତ୍ରକୁ ସାରା ବିଶ୍ୱରେ ଥିବା ଓଡ଼ିଆ ଦର୍ଶକ ବିନା ମୂଲ୍ୟରେ ଦେଖିପାରିବେ । ବଡ଼ ପରଦା ଅପେକ୍ଷା ଛୋଟ ପରଦାରେ ଦର୍ଶକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଦ ନେକେଡ ଆଇ ପ୍ରଡକ୍ସନ ଏଭଳି ଏକ ଅଭିନବ ପ୍ରୟାସ କରିଛି । ଡିଡିଟାଲ ଯୁଗରେ ଗ୍ରାମୀଣ ଯୁବକ ଯୁବତୀଙ୍କ ଉପରେ ସୋସିଆଲ ମିଡିଆର ପ୍ରଭାବ କିପରି ପଡ଼ିଛି, ତାହାକୁ ନେଇ ଏହି କାହାଣୀ । ଓଡ଼ିଆ ଦର୍ଶକଙ୍କୁ ଏକ ନୂଆ ଟ୍ୱିଷ୍ଟ ଦେବାରେ ଏହି ଚଳଚ୍ଚିତ୍ର ଏକ ମାଇଲଖୁଣ୍ଟ ହେବ ବୋଲି ନିର୍ଦ୍ଦେଶକ ସ୍ନେହାଶିଷ ଦାସ କହିଛନ୍ତି । ଚଳଚ୍ଚିତ୍ରର ପ୍ରଚାର ପ୍ରସାର ଦାୟିତ୍ୱରେ ଅଛନ୍ତି ଗୁରୁପଦ ନାଥ ଓ ଶୁଭଜିତ୍ ଆନନ୍ଦ ।
ଡିଓପିରେ ଶ୍ରୀକାନ୍ତ ପଟ୍ଟନାୟକ, ସାଉଣ୍ଡରେ ପିୟୁଷ ପ୍ରଧାନ, ଭିଜୁଆଲ ଏଡିଟିଂରେ ରଶ୍ମିରଞ୍ଜନ ଦାସ, ସହ ନିର୍ଦ୍ଦେଶନାରେ ସୁରଜ ମହାପାତ୍ର ରହିଥିବାବେଳେ ମ୍ୟୁଜିକରେ ଶାନ୍ତନୁ ନାୟକ, ସଂଗୀତରେ ସନ୍ତୋଷ ନାୟକ, ଭୋକାଲିଷ୍ଟ କୁଲଦୀପ ପଟ୍ଟନାୟକ ପ୍ରମୁଖ ରହିଛନ୍ତି । କ୍ରିଏଟିଭ୍ ପ୍ରଡ୍ୟୁସର ଦିବ୍ୟ ଜୀବନ ମହାପାତ୍ର ରହିଛନ୍ତି ।
ରିଲିଜ ଅବସରରେ ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ଥିବା ବହୁ ପ୍ରଯୋଜକ, ନିର୍ଦେଶକ, କଳାକାର, ଟେକ୍ନିସିଆନ ପ୍ରମୁଖ ଉପସ୍ଥିତ ରହି ଚଳଚ୍ଚିତ୍ର ଭରପୁର ପ୍ରଶଂସା କରିଥିଲେ ।