June 27, 2025

Utkal Sambad

ଗଣିଆ ଆଦର୍ଶ ବିଦ୍ୟାଳୟରେ ଅଧ୍ୟୟନରତ ମେଧାବୀ ବିଦ୍ୟାର୍ଥୀଙ୍କ ପାଇଁ ଡ୍ରେସ୍ ସାତ ସପନ

ଗଣିଆ (ମନୋଜ ମଳିକ) : ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ଆଡକଟା ଗ୍ରାମ ପଞ୍ଚାୟତ ଅଧୀନ କାକୁଡ଼ିଖୋଲ ଗ୍ରାମରେ ରାଜ୍ୟ ସରକାରଙ୍କ ଦ୍ଵାରା ଅତି ନିରୀହ ତଥା ଗରିବ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ 2022 ମସିହାରୁ ଏକ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି । ଉକ୍ତ ବିଦ୍ୟାଳୟଟି ଦୀର୍ଘ 3 ବର୍ଷ ଧରି ଚାଲୁ ରହିଥିବା ବେଳେ ଷଷ୍ଠ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ 227 ଜଣ ଗରିବ ମେଧାବୀ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏଥି ନିମନ୍ତେ ରାଜ୍ୟ ସରକାର ଆଦର୍ଶ ବିଦ୍ୟାଳୟରେ ଅଧ୍ୟୟନରତ ବିଦ୍ୟାର୍ଥୀ ମାନଙ୍କ ପାଇଁ ସମସ୍ତ ପ୍ରକାର ରହିବା , ଖାଇବା ତଥା ପୋଷାକ ଯୋଗାଇ ଦେଉଥିବାବେଳେ ଗଣିଆ ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ପ୍ରାୟ 3 ବର୍ଷ ଶିକ୍ଷାବର୍ଷ ଚାଲିଥିଲେ ମଧ୍ୟ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପୋଷାକ ସାତ ସପନ ହେଇଯାଇଛି । ଗଣିଆ ଠାରୁ ପ୍ରାୟ 10 କିଲୋମିଟର ଦୂରରେ ଏକ ନିକାଞ୍ଚନ ତଥା ଯାତାୟାତ ସୁବିଧା ନ ଥିବା ସ୍ଥାନରେ ଉକ୍ତ ବିଦ୍ୟାଳୟଟି ଅବସ୍ଥିତ ହୋଇଥିବାରୁ ପିଲାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଝିଅ ମାନଙ୍କ ରହିବା ପାଇଁ ହଷ୍ଟେଲ ନିର୍ମାଣ ସାରିଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇନଥିବାରୁ ନିଜର ବାଇକ୍ କିମ୍ବା ଏଟୋରିକ୍ସା ରେ ଯିବା ଆସିବା କରିବା ତଥା ଘରୋଇ ଟିୟୁସନ୍ ସହିତ ନିଜ ହାତରୁ ଡ୍ରେସ୍ କିଣିବା ବାବଦରେ ଅଭିଭାବକମାନେ ହଜାର ହଜାର ଟଙ୍କା ମାସକୁ ଖର୍ଚ୍ଚ କରୁଥିବାରୁ ଉକ୍ତ ଶିକ୍ଷାନୁଷ୍ଠାନ ପ୍ରତି ଅସନ୍ତୋଷ ପ୍ରକାଶ କରିବା ସହିତ ଛାତ୍ର ଛାତ୍ରୀ ମାନେ ଏହି ବିଦ୍ୟାଳୟରୁ ମୁହଁ ଫେରାଇ ନେଉ ଥିବାର ଜଣାଯାଇଛି । ଆଦର୍ଶ ବିଦ୍ୟାଳୟ ଗୁଡିକରେ ଏ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିଲେ ମଧ୍ୟ ଗଣିଆ ର ଛାତ୍ର ଛାତ୍ରୀ ମାନେ ଏଥିରୁ ବଞ୍ଚିତ । ଏ ସମ୍ପର୍କରେ ବିଦ୍ୟାଳୟର ଅଧ୍ୟକ୍ଷ ଙ୍କୁ ପଚାରିବାରେ ସେ ବ୍ଲକ ଶିକ୍ଷା ବିଭାଗ ରେ ଡ୍ରେସ୍ ପାଇଁ ଜଣାଇଛନ୍ତି ବୋଲି ମତ ଦେଇଥିଲେ। ଅଧା ପିଲାଙ୍କ ପାଇଁ ଡ୍ରେସ୍ ଦେବାକୁ ବ୍ଲକ୍ ଶିକ୍ଷା ବିଭାଗ କହୁଥିଲା ବେଳେ ଆମେ ମନା କରିଛୁ ବୋଲି ଅଧ୍ୟକ୍ଷ ମତ ଦେଇଛନ୍ତି । ତେବେ ଶିକ୍ଷା ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଏଥିପାଇଁ ଦୃଷ୍ଟି ଦେବାକୁ ଅଭିଭାବକ ମହଲରେ ଦାବି ହେଉଛି ।