ପ୍ରଜ୍ଞାଲୀନ ସାହୁ
=====================
ଅନ୍ଧାର ଆଲୋକ ଖେଳ ଦେଖିଦେଖି
ହୃଦୟ ଆଜି ନିଶବ୍ଦ
ପାଦ ବଢ଼ାଇଲେ ପାଦ ଚାଲୁନାହିଁ
ଦେଖିକି ଛାଇର ଭୂତ ||
ନିଜ ଛାଇ ଏଠି ନିଜକୁ ଅଚିହ୍ନା
ତେଜଃ ଦେଖି ଲୁଚିଯାଏ
ସରଳ ହୃଦୟ କଷ୍ଟ ପାଏ ଯାହା
ମୁକୁର ନ ପାଇ ହାଏ ||
ଆଲୋକ ସେ ପରା ଧନ ଶକ୍ତିଶାଳୀ
କିଣିପାରେ ସର୍ବ ହୃଦ
ସେଥିପାଇଁ ଆଜି ସମ୍ପର୍କ ହଜିଛି
ହଜାଇ ନିଜ ଅସ୍ତିତ୍ବ ||
ଧନ ଯଦି ନାହିଁ ମିଳିବନି ମାନ
ସମ୍ପର୍କର ସହରରେ
ଵୃକ୍ଷ ବି ଭୁଲୁଛି ଫୁଲର ମହକ
ବାନ୍ଧି ସବୁଜ ପତ୍ରରେ ||
ପତ୍ର ଝଡା ହେଲେ ଫୁଲ ଯେ ହସିବ
ଫଳ ମୁଖ ଆଣି କରି
ଯେଉଁ ଫଳ ଦେଖି ଅଧର ହସିବ
ମାଆ ମାଆ ଡାକି କରି ||
ତଥାପି ବୁଝୁନି ବୃକ୍ଷ ମାଆ କିଛି
ଅହଂରେ ସବୁଜ ରାଣୀ
ପତ୍ର ଗୁନ୍ଥି ଗୁନ୍ଥି ଅସ୍ତିତ୍ବ ଭୁଲୁଛି
କର୍ମ ହିଁ ଜୀବନ ବାଣୀ ||
କ୍ଷଣିକର ଖୁସି ନୁହେଁ ତୃପ୍ତି ପଥ
ଜିଣିବ ଜୀବନ ପଥ
ଅବୁଝା ହୃଦୟ ବୁଝାଇବ କିଏ
ଚଢିଛି ଯେ ଧନ(ଅହଂ)ରଥ?
===================
ଜଗତସିଂହପୁର
More Stories
ଭୃଣ
ପବିତ୍ର ଜନ୍ମାଷ୍ଟମୀ