June 26, 2025

Utkal Sambad

ହ୍ୟୁମାନ ମେଟା ନିମୋ ଭାଇରସ (HMPV)

ଡା: ନୀଳମାଧବ ଜେନା
ପ୍ରାକ୍ତନ ସଭାପତି
ଭାରତୀୟ ଶିଶୁ ଚିକିତ୍ସକ ସଂଘ

ବର୍ତ୍ତମାନ ସାରା ବିଶ୍ଵରେ ସବୁଆଡେ ଚର୍ଚ୍ଚାର ବିଷୟ HMPV ଅର୍ଥାତ ହ୍ୟୁମାନ ମେଟା ନିମୋ ଭାଇରସ।
ଏହି ଭୂତାଣୁ ବା ଭାଇରସ ଆମ ପାଇଁ ନୁଆ ନୁହେଁ । ୧୯୫୮ ମସିହାରେ ଏହି ଭୂତାଣୁ ଆବିଷ୍କାର ହୋଇଥିଲା । କିନ୍ତୁ ୨୦୦୧ ମସିହାରେ ହଲାଣ୍ଡରେ ଏହାର ନାମକରଣ କରାଗଲା । ଏହି ରୋଗର ନାଁ ଶୁଣି ସମସ୍ତେ ଭୟଭୀତ ହୋଇ ପଢୁଛନ୍ତି । କିନ୍ତୁ ଏହା କରୋନା ପରି ମାରାତ୍ମକ ନୁହେଁ ।
ସାଧାରଣତଃ ୫ ବର୍ଷରୁ କମ୍ ବୟସର ଶିଶୁ ଏବଂ ୬୫ ବୟସରୁ ଉର୍ଦ୍ଧ ବ୍ୟକ୍ତି ଏହି ରୋଗରେ ବେଶୀ ଆକ୍ରାନ୍ତ ହୁଅନ୍ତି । କାରଣ ଏମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବହୁତ କମ୍ ଥାଏ ।
ଏହି ଭୂତାଣୁ ଶରୀରରେ ପ୍ରବେଶ କରିବାର ୩ ରୁ ୬ ଦିନ ମଧ୍ୟରେ ରୋଗର ଲକ୍ଷଣ ପ୍ରକାଶ ପାଏ ।
HMPV ରେ ଆକ୍ରାନ୍ତ ରୋଗୀର ଲକ୍ଷଣ ସାଧାରଣ ଶବ୍ଦ କାଶ ପରି । ପ୍ରଥମେ ଜ୍ଵର, ନାକରୁ ପାଣି ବାହାରିବା, ଗଳା ଖସ୍ ଖସ୍ ହେବା, ନାକ ଚୁଣ୍ଟି ହେବା, ଶେଷରେ କାଶ ହୁଏ, ନିଶ୍ଵାସ କଷ୍ଟ ହୁଏ । ଯଦି ଆକ୍ରାନ୍ତ ବ୍ୟକ୍ତିଙ୍କର ରୋଗ ପ୍ରତିରୋଧକ ଶକ୍ତି ବହୁତ କମ୍ ଥାଏ ତେବେ ସେ ନିମୋନିଆ ରୋଗରେ ଆକ୍ରାନ୍ତ ହୋଇପାରନ୍ତି ।
ଯେଉଁ ରୋଗୀମାନେ ଆଗରୁ ଅନ୍ୟ ରୋଗରେ ପୀଡିତ HMPV ଭୂତାଣୁ ସେମାନଙ୍କ ଶରୀରରେ ବେଶୀ କ୍ଷତି କରିପାରେ।
ସେଇ ରୋଗୀମାନେ ହେଲେ:
ବୃକକ୍ ଜନିତ ରୋଗରେ ପୀଡିତ ହୋଇ ଯେଉଁମାନେ ନିୟମିତ ଡାଇଲିସିସ୍ କରାଉଛନ୍ତି ।
ମଧୁମେହ ରୋଗୀ ଯେଉଁମାନଙ୍କର ରକ୍ତରେ ସର୍କର ପରିମାଣ ନିୟନ୍ତ୍ରଣ ବାହାରେ |
ଯେଉଁମାନେ ହୃଦ୍ ରୋଗରେ ଅତିମାତ୍ରାରେ ଆକ୍ରାନ୍ତ ।
ଶିଶୁମାନଙ୍କ ମଧ୍ୟରେ ଯେଉଁମାନେ ଥାଲାସିମିଅ, ରକ୍ତ ଶିକୁଳି, ବୃକକ୍ ରୋଗରେ ପ୍ରଭାବିତ ।
ଯେଉଁମାନେ ସ୍ଟିରଏଡ୍ ଖାଉଛନ୍ତି ।
କିପରି ବ୍ୟାପେ:
ରୋଗୀର କାଶ, ଛିଙ୍କରେ ଏବଂ ନାକର ସିଙ୍ଘାଣିରେ ଭୂତାଣୁମାନେ ଥାଆନ୍ତି । ରୋଗୀ ଛିଙ୍କିଲେ କି କାଶିଲେ ଭୂତାଣୁମାନେ ପବନ ମାଧ୍ୟମରେ ଯାଇ ସୁସ୍ଥ ଲୋକକୁ ଆକ୍ରାନ୍ତ କରନ୍ତି । ଏହା ଛଡା ରୋଗୀ ବ୍ୟବହାର କରିଥିବା ରୁମାଲ, ଗାମୁଛା, ଶେଜ କରିଆରେ ମଧ୍ୟ ଏହି ରୋଗ ବ୍ୟାପେ | ରୋଗୀ ସହ ହାତ ମିଳାଇଲେ ଏବଂ ବିନା ପ୍ରତିଷେଧକରେ ରୋଗୀ ସହ ଅତ୍ୟଧିକ ମିଳାମିଶା କଲେ ସୁସ୍ଥ ଲୋକ ମଧ୍ୟ ପ୍ରଭାବିତ ହେବେ
ଚିକିତ୍ସା:
ଏହି ରୋଗ ପାଇଁ କୌଣସି ନିର୍ଦ୍ଧିଷ୍ଟ ଔଷଧ ନାହିଁ । କେବଳ ଆନୁସାଙ୍ଗିକ ଚିକିତ୍ସା । ଯେମିତିକି ଜ୍ଵର ହେଲେ ପାରାସିଟାମଲ, ସର୍ଦ୍ଦି ହେଲେ ସେଟ୍ରିଜିନ୍ ଇତ୍ୟାଦି ।
ପ୍ରତିଷେଧକ:
ଏ ଭୂତାଣୁ ପାଇଁ କୌଣସି ଟୀକା ଉପଲବ୍ଧ ନାହିଁ । ବିଶ୍ଵ ସାସ୍ଥ୍ୟ ସଂଗଠନ ମଧ୍ୟ ଏଥିପାଇଁ କୌଣସି ମାର୍ଗଦର୍ଶିକା ଜାରି କରିନାହିଁ । ତେଣୁ ଆମେ ସମସ୍ତେ ସାବଧାନତା ଅବଲସନ କରିବା ଯେମିତି କୋଭିଡ୍ ସମୟରେ କରୁଥିଲେ । ଗହଳି ଜାଗାକୁ ଯିବା ନାହିଁ । ଯଦି ବା ଯିବା ମାସ ଲଗାଇ ଯିବା । ବାହାରୁ ଘରକୁ ଆସିଲେ ସଙ୍ଗେ ସଙ୍ଗେ ହାତ ଧୋଇବା । ଅଯଥାରେ ହାତରେ ମୁହଁ, ନାକ, ଆଖିକୁ ଛୁଇଁବା ନାହିଁ ।
ଶେଷରେ ସମସ୍ତଙ୍କୁ କହି ରଖୁଛି, ଏହି ଭୂତାଣୁ ପାଇଁ ମୋଟେ ଭୟଭୀତ ହେବେ ନାହିଁ ।