June 27, 2025

Utkal Sambad

ସୁଭଦ୍ରା ଉଦଘାଟନୀ ଉତ୍ସବ, ମହିଳାଙ୍କୁ ଅସମ୍ମାନ, ବସିବାକୁ ଚେୟାର ନାହିଁ

ଗଣିଆ: ( ମନୋଜ ମଳିକ) ମହିଳା ମାନଙ୍କୁ ସମ୍ମାନର ସହିତ ବଞ୍ଚିବା ତଥା ସ୍ବାବଲମ୍ବୀ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରାଯାଇଛି । ସରକାରଙ୍କ ଏହି ଲୋକାଭିମୁଖୀ ଯୋଜନା ପାଇଁ ପ୍ରଚାର ପ୍ରସାର ଜୋରଦାର କରିବା ସହିତ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ପ୍ରତ୍ୟେକ ବ୍ଳକ ସ୍ତରରେ ଆଭାସି ମାଧ୍ୟମରେ ମହିଳା ମାନଙ୍କୁ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ କରିବାକୁ ବ୍ୟବସ୍ଥା କରିବାକୁ ବ୍ଳକ ପ୍ରଶାସନକୁ ଦାୟିତ୍ବ ପ୍ରଦାନ କରାଯାଇଥିଲା । ୫ ହଜାର ମହିଳା ଯୋଗଦାନ କରିବାକୁ ନିର୍ଦ୍ଧେଶ ମଧ୍ୟ ଦିଆଯାଇଥିଲା । କିନ୍ତୁ ଗଣିଆରେ ଆଜି ମହିଳାଙ୍କୁ ଅସମ୍ମାନ କରାଯାଇଥିବା ଜଣାପଡ଼ିଛି । ୫ ହଜାର ମହିଳା ଆସିବା ବଦଳରେ ପ୍ରଚାର ପ୍ରସାର ଅଭାବରୁ ମାତ୍ର ୧ ହଜାର ମହିଳା ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେହି ୧ ହଜାର ମହିଳା ବସିବା ପାଇଁ ଆବଶ୍ୟକୀୟ ଚେୟାର ନଥିଲା । ଜଳଖିଆ ମଧ୍ୟ ସମସ୍ତ ମହିଳା ଖାଇ ନଥିଲେ । ଦୂରଦୂରାନ୍ତରୁ ସକାଳୁ ଆସିଥିବା ମହିଳା ମାନେ ଭୋକ ଉପାସରେ ସଭା ସ୍ଥଳରେ ବସି ରହିଥିଲେ । ପରିସ୍ଥିତି ଏଭଳି ଥିଲା ଯେ ସଭା ଚାଲିଥିବା ବେଳେ ମହିଳା ମାନେ ଅଧାରୁ ଉଠି ଭାତ ଖାଇବାକୁ ଚାଲି ଯାଇଥିଲେ । ସେଠାରେ ମଧ୍ୟ ଅବ୍ୟବସ୍ଥା ଆହୁରି ବଢି ଯାଇଥିଲା । ଲୋକସଂଖ୍ୟା ଅନୁସାରେ ଖାଦ୍ୟ ନଥିବାରୁ ସେଠାରୁ ମଧ୍ୟ ନିରାଶ ହୋଇ ଭୋକ ଉପାସରେ ମହିଳା ମାନେ ଘରକୁ ଫେରିଥିଲେ । ଏପରିକି ସଭାକୁ ଆସିଥିବା ଲୋକପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ଏବଂ ବୁଦ୍ଧିଜୀବୀ ମାନଙ୍କ ପାଇଁ ମଧ୍ୟ କୈାଣସି ବ୍ୟବସ୍ଥା ହୋଇନଥିବାରୁ ସେମାନେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିବା ଜଣାପଡିଛି । ତେବେ ଏହି କାର୍ଯ୍ୟକ୍ରମ ପାଇଁ କେତେ ଅର୍ଥ ଆସିଥିଲା ଯେ ୧୦୦୦ ମହିଳାଙ୍କୁ ଖାଇବାକୁ ଦିଆଗଲା ନାହିଁ । ମହିଳା ମାନଙ୍କୁ ଏହା କେଉଁ ଭଳି ସମ୍ମାନ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରକୃତରେ ରାଜ୍ୟ ସରକାର ଅର୍ଥ ଦେଇ ନଥିଲେ ନା ଅର୍ଥ ହରିଲୁଟ ହୋଇଛି ତାହା ତଦନ୍ତ କଲେ ଜଣାପଡିବ ବୋଲି ବୁଦ୍ଧିଜୀବୀମାନେ ମତ ପୋଷଣ କରିଛନ୍ତି ।