June 26, 2025

Utkal Sambad

ଜିଓ ପ୍ଲାଟଫର୍ମସର ତୃତୀୟ ତ୍ରୟମାସ ନେଟ ଲାଭରେ ୨୬ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର: ଭାରତର ସର୍ବବୃହତ ଟେଲିକମ ଓ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ଜିଓ ପ୍ଲାଟଫର୍ମସ ଲିମିଟେଡ଼ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ୬,୮୬୧ କୋଟି ଟଙ୍କା ନେଟ ଲାଭ ହାସଲ କରିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷର ଅକ୍ଟୋବର ରୁ ଡିସେମ୍ବର ତ୍ରୟମାସରେ ଜିଓ ପ୍ଲାଟଫର୍ମସର ନେଟ ଲାଭ ପୂର୍ବ ବର୍ଷ ସମାନ ସମୟ ତୁଳନାରେ ୨୬ ପ୍ରତିଶତ ବୃଦ୍ଧି ପାଇଛି।

୨୦୨୪ ବର୍ଷ ଶେଷ ସୁଦ୍ଧା, ଦେଶରେ ମୋଟ ଜିଓ ଗ୍ରାହକଙ୍କ ସଂଖ୍ୟା ୪୮ କୋଟି ୨୧ ଲକ୍ଷରେ ପହଞ୍ଚିଛି, ଯାହାକି ଗତ ବର୍ଷ ତୁଳନାରେ ୨.୪% ଅଧିକ। ଏହି ତ୍ରୟମାସରେ ଜିଓ ୩୩ ଲକ୍ଷ ଗ୍ରାହକ ଯୋଡିଛି। ହୋମ ବ୍ରଡ଼ବ୍ୟାଣ୍ଡ ସଂଯୋଗ ଦୃଷ୍ଟିକୋଣରୁ ଜିଓ ପାଇଁ ଏହା ମଧ୍ୟ ଏକ ରେକର୍ଡ ତ୍ରୟମାସ ଥିଲା, ଯେଉଁଥିରେ ୨୦ ଲକ୍ଷ ନୂତନ ସଂଯୋଗ ଯୋଗ କରାଯାଇଥିଲା। ଏଥିସହିତ ଜିଓ ଏୟାରଫାଇବର ମଧ୍ୟ ଦ୍ରୁତ ଅଭିବୃଦ୍ଧି ହାସଲ କରିଛି ଏବଂ ଏହାର ଗ୍ରାହକ ଆଧାର ୪୫ ଲକ୍ଷରେ ପହଞ୍ଚିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ଜିଓର ୫ଜି ଗ୍ରାହକ ଆଧାର ୧୭ କୋଟି ଅତିକ୍ରମ କରିବା ସହିତ ଏହା ଚୀନ ବାହାରେ ବିଶ୍ୱର ସର୍ବବୃହତ ଏକକ ୫ଜି ଅପରେଟର ହୋଇପାରିଛି। ଟ୍ରୁ୫ଜି ଜିଓର ମୋଟ ୱେରଲେସ ଟ୍ରାଫିକର ୪୦% ରହିଛି। ଏହି ତ୍ରୟମାସରେ ଜିଓର ଗ୍ରାହକ ପିଛା ପ୍ରତିମାସ ରାଜସ୍ବ ୨୦୩.୩ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ପ୍ରତି ମାସରେ ମୁଣ୍ଡପିଛା ଡାଟା ବ୍ୟବହାର ୩୨.୩ ଜିବିରେ ପହଞ୍ଚିଛି ଯାହା ଶିଳ୍ପରେ ସର୍ବାଧିକ। ଏହା ବ୍ୟତୀତ ମୋଟ ଡାଟା ଟ୍ରାଫିକରେ ୨୨.୨% ବୃଦ୍ଧି ରେକର୍ଡ କରାଯାଇଛି।

ସେହିଭଳି ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ର ତୃତୀୟ ତ୍ରୟ ମାସ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ରିଟେଲ ଓ ଟେଲିକମ ବ୍ୟବସାୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ସହିତ ଏହି ତ୍ରୟମାସରେ ରିଲାଏନ୍ସର ଏକୀଭୂତ ନେଟ ଲାଭ ଗତ ବର୍ଷ ସମାନ ସମୟ ତୁଳନାରେ ୧୧.୭ ପ୍ରତଶତ ବୃଦ୍ଧି ପାଇ ୨୧,୯୩୦ କୋଟି ଟଙ୍କା ରହିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ଅକ୍ଟୋବର ରୁ ଡିସେମ୍ବର ତ୍ରୟମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୋଟ ରାଜସ୍ବ ବୃଦ୍ଧି ପାଇ ୨,୬୭,୧୮୬ କୋଟି କୋଟି ଟଙ୍କା ରହିଥିବା ଜଣାପଡିଛି। ସେହିଭଳି ତୃତୀୟ ତ୍ରୟମାସରେ ରିଲାଏନ୍ସ ରିଟେଲ ର ମୋଟ ରାଜସ୍ୱ ଗତ ବର୍ଷ ସମାନ ସମୟ ତୁଳନାରେ ୮.୮% ବୃଦ୍ଧି ସହିତ ୯୦,୩୩୩ କୋଟି ଟଙ୍କାରେ ପହଞ୍ଚିଛି।