June 26, 2025

Utkal Sambad

ଜାନୁଆରୀମାର୍ଚ୍ଚ ତ୍ରୈମାସିକରେ ଜିଓ ପ୍ଲାଟଫର୍ମସର ନେଟ୍ ଲାଭ ୨୫.୭ ପ୍ରତିଶତ ବୃଦ୍ଧି ୭,୦୨୨ କୋଟି 

ମୁମ୍ବାଇ / ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଡିଜିଟାଲ୍ ଉଦ୍ୟୋଗ ଜିଓ ପ୍ଲାଟଫର୍ମସ ଆଜି ୨୦୨୪-୨୫ ଆର୍ଥିକ ବର୍ଷର ଚତୁର୍ଥ ବା ଶେଷ ତ୍ରୈମାସିକର ଆର୍ଥିକ ଫଳାଫଳ ଘୋଷଣା କରିଛି। ଜାନୁୟାରୀ ରୁ ମାର୍ଚ୍ଚ ୨୦୨୫ ଯାଏଁ ରହିଥିବା ଏହି ତ୍ରୟମାସରେ ଜିଓ ପ୍ଲାଟଫର୍ମସର ନେଟ ଲାଭ ୨୫.୭ ପ୍ରତିଶତ ବୃଦ୍ଧି ପାଇ ୭,୦୨୨ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। କମ୍ପାନୀ ଗତ ବର୍ଷ ସମାନ ସମୟରେ ୫,୫୮୭ କୋଟି ଟଙ୍କାର ନେଟ ଲାଭ ହାସଲ କରିଥିଲା।

ମାର୍ଚ୍ଚ ୨୦୨୫ ତ୍ରୈମାସିକରେ ଜିଓର ପ୍ରତି ଉପଭୋକ୍ତା ହାରାହାରି ମାସିକ ରାଜସ୍ୱ (ଆରପୁ) ୧୩.୫ ପ୍ରତିଶତ ବୃଦ୍ଧି ପାଇ ୨୦୬.୨ ଟଙ୍କା ହୋଇଛି, ଯାହା ମାର୍ଚ୍ଚ ୨୦୨୪ ତ୍ରୈମାସିକରେ ୧୮୧.୭ ଟଙ୍କା ରହିଥିଲା। ଏହି ତ୍ରୈମାସିକରେ ଜିଓ ୬୧ ଲକ୍ଷରୁ ଅଧିକ ଉପଭୋକ୍ତା ଯୋଡିବା ସହିତ ମାର୍ଚ୍ଚ ୩୧ ସୁଦ୍ଧା ଜିଓର ମୋଟ ଉପଭୋକ୍ତା ସଂଖ୍ୟା ୪୮.୮୨ କୋଟି ରହିଥିଲା। ଜିଓର ୫ଜି ଉପଭୋକ୍ତା ସଂଖ୍ୟା ମାର୍ଚ୍ଚ ଶେଷ ସୁଦ୍ଧା ୧୯ କୋଟିରୁ ଅଧିକ ରହିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଜିଓର ପ୍ରତି ଉପଭୋକ୍ତା ହାରାହାରି ମାସିକ ଡାଟା ବ୍ୟବହାର ୩୩.୬ ଜିବି ହୋଇଥିବା ବେଳେ ମୋଟ ଡାଟା ଟ୍ରାଫିକ ଗତ ବର୍ଷ ତୁଳନାରେ ୧୯.୬ ପ୍ରତିଶତ ବୃଦ୍ଧି ପାଇ ଚତୁର୍ଥ ତ୍ରୈମାସିକରେ ୪୮.୯ ବିଲିଅନ ଜିବି ହୋଇଥିବା ଜଣାପଡିଛି ।

ମାର୍ଚ୍ଚ ୩୧, ୨୦୨୫ ରେ ଶେଷ ହୋଇଥିବା ଆର୍ଥିକ ବର୍ଷ ପାଇଁ, ଜିଓର ନେଟ ଲାଭ ପୂର୍ବ ବର୍ଷ ତୁଳନାରେ ପ୍ରାୟ ୨୨ ପ୍ରତିଶତ ବୃଦ୍ଧି ପାଇ ୨୬,୧୨୦ କୋଟି ଟଙ୍କା ହୋଇଛି ଯାହା ପୂର୍ବ ବର୍ଷ ଏହି ଅବଧିରେ ୨୧,୪୩୪ କୋଟି ଟଙ୍କା ଥିଲା।

୨୦୨୪-୨୦୨୫ ଆର୍ଥିକ ବର୍ଷରେ ଜିଓ ପ୍ଲାଟଫର୍ମସର ପରିଚାଳନାଗତ ରାଜସ୍ୱ ପ୍ରାୟ ୧୭ ପ୍ରତିଶତ ବୃଦ୍ଧି ପାଇ ୧,୨୮,୨୧୮ କୋଟି ଟଙ୍କା ହୋଇଛି ଯାହା ଆର୍ଥିକ ବର୍ଷ ୨୦୨୩-୨୪ ରେ ୧,୦୯,୫୫୮ କୋଟି ଟଙ୍କା ରହିଥିଲା।