ଗୋଟିଏ ଇଟା ଉପରେ ଆଉ ଗୋଟିଏ ଇଟା ଯୋଡ଼େଇ କରି କରି ବିଶାଳ ଅଟ୍ଟାଳିକା ନିର୍ମାଣ କରାଯାଏ। ତେଣୁ ଇଟା ହେଉଛି ଅଟ୍ଟାଳିକାର ମୂଳ ଉପାଦାନ। ଆମର ଶରୀର ମଧ୍ୟ ସେମିତି କେତେଗୁଡ଼ିଏ ଉପାଦାନରେ ତିଆରି। ଆମର ଦେହ ଗୋଟିଏ କୋଠାଘର ହେଲେ, ସେହି ଘରର ଇଟା ବା ମୂଳ ଉପାଦାନ ହେଉଛି ଜୀବକୋଷ(ସେଲ୍ଫ)। ଜୀବକୋଷକୁ ଗଠନ କରୁଥିବା ଗୁରୁତ୍ୱପୂର୍ଣ୍ଣ ତରଳ ପଦାର୍ଥ ହେଉଛି ‘ଜୀବରସ’। ଆମ ଜୀବରସର ଅଧାରୁ ଅଧିକ ଅଂଶ ହେଉଛି ଜଳ। ରକ୍ତ, ମାଂସ ଓ ଅସ୍ଥିରେ ଆମର ଶରୀର ଗଢ଼ା ଏବଂ ସେ ସବୁଠି ଜୀବକୋଷ ଓ ଜୀବରସ ରହିଛି। ଆମ ଶରୀର ରୂପକ କାରଖାନା ଭିତରେ କେତେ ନାହିଁ କେତେ କାମ ଚାଲିଛି। ସେହି କାମଗୁଡ଼ିକ ସୁରୁଖୁରୁରେ ନ ଚାଲିଲେ ଆମେ ଦୁର୍ବଳ ହୋଇପଡ଼ିବୁ। କିନ୍ତୁ ଜଳ ବିନା ସେସବୁ ଶାରୀରିକ ପ୍ରକ୍ରିୟା ହେଇପାରିବ ନାହିଁ। କେବଳ ମଣିଷ ନୁହେଁ, ସମସ୍ତ ପ୍ରାଣୀ ଓ ବୃକ୍ଷଲତାର ବିଭିନ୍ନ ଶାରୀରିକ ପ୍ରକ୍ରିୟା ସକାଶେ ଜଳ ଆବଶ୍ୟକ। ଶରୀର ଭିତରେ ସୃଷ୍ଟି ହେଉଥିବା ଆବର୍ଜନାକୁ ମଧ୍ୟ ବାହାରକୁ ବାହାର କରିବା ପାଇଁ ଜଳ ଦରକାର। ସେଥିପାଇଁ ଯଥାର୍ଥରେ ‘ଜଳ ହିଁ ଜୀବନ’ ବୋଲି କୁହାଯାଇଛି।
ଆମ ସୌରଜଗତରେ ପୃଥିବୀକୁ ମିଶାଇ ଆଠଟି ଗ୍ରହ ରହିଛି। ଉପଗ୍ରହ, ଗ୍ରହାଣୁ ଓ ବାମନଗ୍ରହ ମଧ୍ୟ ରହିଛି। କିନ୍ତୁ କେବଳ ଆମ ଗ୍ରହ ପୃଥିବୀରେ ଜୀବସତ୍ତା ତିଷ୍ଠି ରହିବାର ଅନେକ କାରଣ ମଧ୍ୟରୁ ସବୁଠାରୁ ଗୁରତ୍ୱପୂର୍ଣ୍ଣ ହେଉଛି ‘ଜଳ’। ତେଣୁ ପୃଥିବୀକୁ ‘ଜଳଗ୍ରହ’ ବୋଲି ମଧ୍ୟ କୁହାଯାଏ। ପୃଥିବୀରେ ଜଳ ତିନିଟି ଅବସ୍ଥାରେ ରହିପାରୁଛି। ସେହି ଅବସ୍ଥାଗୁଡ଼ିକ ହେଉଛି – କଠିନ ବରଫ, ତରଳ ଜଳ ଓ ଗ୍ୟାସୀୟ ଜଳୀୟବାଷ୍ପ। ପୃଥିବୀରେ ଜୀବଜଗତ ତିଷ୍ଠି ରହିବାର ଏହା ଆଉ ଏକ କାରଣ। ଆମ ଧରାପୃଷ୍ଠରେ ଚାରି ଭାଗରୁ ତିନି ଭାଗକୁ ଜଳ ଘୋଡ଼େଇ ରଖିଛି। କିନ୍ତୁ ଦୁଃଖର କଥା ଯେ ଆମେ ପିଇବା, ଗାଧେଇବା କିମ୍ବା ରୋଷେଇ କରିବା ପାଇଁ ଯଥେଷ୍ଟ ଜଳ ଆମ ଗ୍ରହରେ ନାହିଁ। କାହିଁକି ନା ପୃଥିବୀରେ ଅନୁଭୂତ ସମୁଦାୟ ଜଳରାଶିର ୧୦୦ ଭାଗରୁ ୯୭ ଭାଗ ଜଳ ଲବଣାକ୍ତ, ଯାହାକି ସାଗର ମହାସାଗରରେ ରହିଛି। ଆମ ଶରୀରରେ ରହିଥିବା ଜଳ ଏକାଧିକ ଲବଣର ମିଶ୍ରଣ, କିନ୍ତୁ ଆମେ ଲବଣାକ୍ତ ଜଳ ପିଇପାରିବା ନାହିଁ। ଶହେ ବାଲ୍ଟି ସମୁଦ୍ର ଜଳ ଶୁଖିଲେ ସେଥିରୁ ସାଢ଼େ ୩ ବାଲ୍ଟି ଲୁଣ ବାହାରିବ। ଅର୍ଥାତ୍, ସମୁଦ୍ର ଜଳରେ ଲୁଣର ମାତ୍ରା ବହୁତ ବେଶୀ। ତେଣୁ ଆମେ ସିଧାସଳଖ ସମୁଦ୍ର ଜଳ ପିଇପାରିବା ନାହିଁ। ବାକି ୩ ଭାଗ ମଧୁର ଜଳରୁ ୨ ଭାଗ ରହିଛି ପୃଥିବୀର ମେରୁ ଅଞ୍ଚଳର ବରଫ ରୂପରେ। ତାକୁ ଆମେ ବ୍ୟବହାର କରିପାରିବା ନାହିଁ। ଏହିପରି ପୃଥିବୀରେ ମିଳୁଥିବା ସମୁଦାୟ ୧୦୦ ଭାଗ ଜଳରୁ ମାତ୍ର ୧ ଭାଗ ରହିଲା ମଧୁର ଜଳ ରୂପରେ, ଯାହାକୁ ଆମେ ପିଇବା, ଗାଧେଇବା କିମ୍ବା ରୋଷେଇ କାମରେ ବ୍ୟବହାର କରିପାରିବା। ସେଇ ଟିକକ ମଧୁରଜଳର ୧୦୦୦ ଭାଗରୁ ୬୦ ଭାଗ ଭୂମିତଳେ, ୧୭ ଭାଗ ନଦୀ, ପୋଖରୀରେ ଓ ୧ ଭାଗ ରହିଛି ବାୟୁମଣ୍ଡଳରେ ଜଳୀୟବାଷ୍ପ ରୂପରେ।
ପୃଥିବୀର ସମୁଦାୟ ଜଳକୁ ଯଦି ଏକ ବାଲ୍ଟି ବୋଲି ଧରାଯାଏ, ତେବେ ଆମର ବ୍ୟବହାର ଉପଯୋଗୀ ମଧୁର ଜଳର ପରିମାଣ ଏକ ଚାମଚ ବି ହେବ ନାହିଁ। ଆଜି ପୃଥିବୀର ସମସ୍ତଙ୍କ ପାଇଁ ଶୁଦ୍ଧ ଜଳର ସୁବିଧା ନାହିଁ। ଅଧିକାଂଶ ଅଞ୍ଚଳର ଜଳ ପ୍ରଦୂଷିତ ଥିବାରୁ ଏହାକୁ ବ୍ୟବହାର କରୁଥିବା ଲୋକେ ବିଭିନ୍ନ ରୋଗରେ ପୀଡ଼ିତ ହେଉଛନ୍ତି। ପ୍ରଦୂଷିତ ବିଷାକ୍ତ ଜଳ ମାଟିକୁ ମଧ୍ୟ ନଷ୍ଟ କରୁଛି। ଜଳର ପରିମାଣ ସୀମିତ ହେତୁ, ଜଳବଣ୍ଟନକୁ ନେଇ କନ୍ଦଳ ସୃଷ୍ଟି ହେଉଛି। ଆଜି ପୃଥିବୀର ଜନସଂଖ୍ୟା ୮୦୦ କୋଟିରୁ ଅଧିକ। ସେଥିରୁ ୩୦୦ କୋଟି ଲୋକ ଯେଉଁ ନଦୀର ଜଳ ଉପରେ ନିର୍ଭର କରନ୍ତି, ସେହି ନଦୀଗୁଡ଼ିକ ଗୋଟିଏ ଦେଶରୁ ଆଉ ଏକ ଦେଶକୁ ପ୍ରବାହିତ ହେଉଛି। ନଦୀ ରାଷ୍ଟ୍ରର ବା ରାଜ୍ୟର ସୀମାରେଖା ଅତିକ୍ରମ କଲେ ବିବାଦର ସମ୍ଭାବନାକୁ ଏଡ଼ାଇ ହେବ ନାହିଁ। ବିଶ୍ୱରେ ଏବେ ୧୫୩ଟି ଦେଶ ବିଭିନ୍ନ ନଦୀ, ହ୍ରଦ ଓ ଭୂତଳ ଜଳସ୍ତରର ପରସ୍ପର ଭାଗୀଦାର ଅଛନ୍ତି। ତେଣୁ କିଏ ବଡ଼ ଭାଗର ଅଧିକାରୀ ହେବ, ସେହି ପ୍ରସଙ୍ଗକୁ ଆଧାର କରି ଦେଶ ଦେଶ ଭିତରେ ଝଗଡ଼ା ଲାଗିରହିଛି। ୧୫୩ଟି ଦେଶ ଭିତରୁ ମାତ୍ର ୨୪ଟି ଦେଶ ଶାନ୍ତିିଶୃଙ୍ଖଳାର ସହିତ ନଦୀ, ହ୍ରଦ ଓ ଭୂତଳ ଜଳସ୍ତରକୁ ଭାଗବାଣ୍ଟି ଚଳୁଛନ୍ତି। ବିଶ୍ୱସ୍ତରରେ ଜଳର ଭାଗବଣ୍ଟାକୁ ନେଇ ଭବିଷ୍ୟତରେ ଯୁଦ୍ଧ ନହେବ ବୋଲି ଆମେ କହିପାରିବା ନାହିଁ।
ଆମର ବ୍ୟବହାର ଉପଯୋଗୀ ଜଳର ପରିମାଣ ବି କ୍ରମଶଃ ହ୍ରାସ ପାଉଛି। ଚାହିଦା ଅନୁସାରେ ଯୋଗାଣ ନହେଲେ ଜିନିଷର ମୂଲ୍ୟ ବୃଦ୍ଧି ହୁଏ। ତେଣୁ ଅନ୍ୟ ଜିନିଷପତ୍ର ଭଳି ଆଜି ଜଳର ମୂଲ୍ୟ ବି ବୃଦ୍ଧି ପାଉଛି। ଏପରିକି ଅଶୋଧିତ ପେଟ୍ରୋଲ୍ ଓ ଡିଜେଲ ତୁଳନାରେ ଆଜି ପାଣିର ଦାମ ଅଧିକ ହେଲାଣି। ସେଥିପାଇଁ ଆଜି ଜଳକୁ ଇନ୍ଧନ ବୋଲି କୁହାଯାଉଛି। ଦାମ୍ ଅଧିକ ହେଲେ ବି ଆମେ ଜଳ ବିନା ବଞ୍ଚିପାରିବା ନାହିଁ। ଏଭଳି ପରିସ୍ଥିତିରେ ଜଳକୁ ଦରକାର ଅନୁଯାୟୀ ବ୍ୟବହାର କରିବା ଉଚିତ। ଜଳର ଅତ୍ୟଧିକ ବ୍ୟବହାର କିମ୍ବା ଅପବ୍ୟବହାର କଲେ ଆଗକୁ ଆହୁରି କଷ୍ଟ ପାଇବା। ଟୋପାଏ ପେଟ୍ରୋଲ୍ ନଷ୍ଟ ହେଲେ ଆମକୁ କଷ୍ଟ ହୁଏ। କିନ୍ତୁୁ ବାଲଟି ବାଲଟି ଜଳ ନଷ୍ଟ ହେଲେ ବି ଆମକୁ ଫରକ ପଡ଼େନାହିଁ। ଏଭଳି ମନୋଭାବ ରହିଲେ ଜଳ ସମସ୍ୟା ଆହୁରି କଠିନ ହେବ। ଜଳ କଷ୍ଟରୁ ନିସ୍ତାର ପାଇବା ସକାଶେ ଜଳକୁ ଇନ୍ଧନ ଭାବି ଯତ୍ନ କରିବା ଜରୁରୀ।
ଡକ୍ଟର କମଳାକାନ୍ତ ଜେନା
ଭଦ୍ରକ, ମୋ: ୯୪୩୯୫୦୧୬୫୧
ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ
ଭଦ୍ରକ ଅଟୋନମସ୍ କଲେଜ

More Stories
Dr. Khalid Khan Is Not Just Scaling Logistics—He’s Schooling an Industry
Bushra Khan delivers loyalty-driven logistics at PPL
ବଜ୍ରପାତରୁ ରକ୍ଷା