March 12, 2026

Utkal Sambad

ଖାଲି ପଡ଼ିଛି ଦେଶରେ ୧୮,୦୦୦ରୁ ଅଧିକ ପିଜି ମେଡିକାଲ ସିଟ୍‌

ନୂଆଦିଲ୍ଲୀ: ଡାକ୍ତରଙ୍କ ସ୍ନାତକୋତ୍ତର ପ୍ରବେଶ ପାଇଁ ଏନ୍‌ଇଇଟି ପିଜି ପରୀକ୍ଷାକୁ ନେଇ ବିବାଦ ଦେଖାଯାଇଛି। ଚଳିତ ବର୍ଷ ଦ୍ବିତୀୟ ରାଉଣ୍ଡ କାଉନସେଲିଂ ପରେ ସାରା ଦେଶର ମେଡିକାଲ କଲେଜରେ ୧୮,୦୦୦ ପିଜି ସିଟ୍ ଖାଲି ପଡ଼ିଛି। ଏହାପରେ ଏସ୍‌ସି/ଏସ୍‌ଟି/ଓବିସି ପରି ସଂରକ୍ଷିତ ବର୍ଗର ଛାତ୍ରଙ୍କ ନିଟ୍‌ ପିଜି -୨୦୨୫ ପରୀକ୍ଷା କଟ୍‌-ଅଫ୍‌ ଜିରୋ ପର୍ସେଣ୍ଟାଇଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାଦ୍ବାରା ନେଗେଟିଭ ୪୦ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଆଡମିସନ ମିଳିପାରିବ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନ୍ତର୍ଗତ ରାଷ୍ଟ୍ରୀୟ ପରୀକ୍ଷା ବୋର୍ଡ଼ (ଏନ୍‌ବିଇ) ୧୩ ଜାନୁଆରିରେ ଏକ ନୋଟିଫିକେସନ ଜାରି କରିଥିଲା, ଯେଉଁଥିରେ ପିଜି (ଏମ୍‌ଡି/ଏମ୍‌ଏସ୍‌) ରେ ସମସ୍ତ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଖାଲି ଆସନରେ ପ୍ରବେଶ ପାଇଁ ଯୋଗ୍ୟତାକୁ ସହଜ କରାଯାଇଛି।