June 26, 2025

Utkal Sambad

କେନ୍ଦୁଝର ଜିଲ୍ଲାରେ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ

ବଡ଼ବିଲ, ଯୋଡ଼ା, ଆନନ୍ଦପୁର ଓ ଚମ୍ପୁଆରେ ଓମ୍ବାଡ୍‌ସି ସହାୟତାରେ ଷ୍ଟାଡିୟମ
ବ୍ୟାଡମିଣ୍ଟନ, ଟେବୁଲ ଟେନିସ୍ ଓ ଭାରୋତ୍ତୋଳନ ଅଭ୍ୟାସ ପାଇଁ ସୁବିଧା
ଆଧୁନିକ ବ୍ୟାୟାମ ଓ ଯୋଗାଭ୍ୟାସ କେନ୍ଦ୍ର ସ୍ଥାପନ

ଭୁବନେଶ୍ୱର/କେନ୍ଦୁଝର: ଆଦିବାସୀ ବହୁଳ ତଥା ଖଣି ପ୍ରଭାବିତ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଗାଁ ଓ ସହରରେ ଅନେକ ଯୁବ କ୍ରୀଡ଼ା ପ୍ରତିଭା ଅଛନ୍ତି । ଯୁବପିଢ଼ିଙ୍କ ପ୍ରତିଭାକୁ ବିକଶିତ କରିବା ସହିତ ସେମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କ୍ରୀଡ଼ା ପ୍ରତିଯୋଗିତା ଲାଗି ପ୍ରସ୍ତୁତ କରିବା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ କରାଯାଇଛି । ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ କେନ୍ଦୁଝର ଜିଲ୍ଲାର ବଡ଼ବିଲ, ଯୋଡା, ଆନନ୍ଦପୁର ଓ ଚମ୍ପୁଆ ଭଳି ୪ଟି ସହରରେ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ କରାଯାଇଛି । ଏଥିପାଇଁ ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡ୍‌ସି) ଆର୍ଥିକ ସହାୟତା ଯୋଗାଇ ଦେଇଛି । ଶାରୀରିକ ଫିଟନେସ୍ ସହିତ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାର ଏକ ମାଧ୍ୟମ ହେଉଛି କ୍ରୀଡ଼ା । ବିଶେଷକରି ଇନ୍‌ଡୋର ଗେମ୍ ଜରିଆରେ ନିଜର କ୍ରୀଡ଼ା ଭବିଷ୍ୟତ ଗଢ଼ିବା ଲାଗି ଯୁବପିଢ଼ିଙ୍କ ପାଇଁ ରହିଛି ଅନେକ ସୁଯୋଗ । ଏଥିପାଇଁ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ପରିସରରେ ବ୍ୟାଡମିଣ୍ଟନ, ଟେବୁଲ ଟେନିସ୍ ଓ ଭାରୋତ୍ତୋଳନ କୋର୍ଟ ସ୍ଥାପନ କରାଯାଇଛି ।
ଷ୍ଟାଡିୟମ ଭିତରେ ଥିବା ବ୍ୟାଡମିଣ୍ଟନ୍ କୋର୍ଟରେ ବିଛାଯାଇଛି ଅତ୍ୟାଧୁନିକ ଟର୍ଫ । ତାଌ୰୩୯;ସହ ଏଠାରେ ଆଧୁନିକ କ୍ରୀଡ଼ା ଉପକରଣ ମଧ୍ୟ ରହିଛି । ଫଳରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତା ଲାଗି ଏଠାରେ ଅଭ୍ୟାସ କରିପାରୁଛନ୍ତି ଯୁବପିଢ଼ି । “ମୁଁ ଯେବେ ବ୍ୟାଡମିଣ୍ଟନ ଖେଳିବା ଆରମ୍ଭ କରିଥିଲି ସେତେବେଳେ ଆମ ଅଞ୍ଚଳରେ କୌଣସି ଷ୍ଟାଡିୟମ ନଥିଲା । ଏବେ ଓମ୍ବାଡ୍‌ସି ସହାୟତାରେ ହୋଇଥିବା ଇନ୍‌ଡୋର ଷ୍ଟାଡିୟମରେ
ବ୍ୟାଡ ମିଣ୍ଟନ କୋର୍ଟ ରହିଛି । ଏଠାରେ ମୁଁ ନିୟମିତ ଅଭ୍ୟାସ କରିବା ସହ ଅନ୍ୟ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଉଛି । ଏହି ଭିତ୍ତିଭୂୂମି ହେବା ଫଳରେ ପିଲାମାନେ ଜାତୀୟ ସ୍ତରର ପ୍ରତିଯୋଗିତାରେ ଭାଗ ନେବା ପାଇଁ ପ୍ରସ୍ତୁତ ହେଉଛନ୍ତି,” କହିଛନ୍ତି ଯୋଡ଼ାର ଅନୁଲ ହାସନ । ଯୋଡ଼ାର ଅନୁଲ ହାସନ ଜଣେ ଜାତୀୟ ସ୍ତରୀୟ ବ୍ୟାଡମିଣ୍ଟନ ଖେଳାଳି । ବିଗତ ଦିନରେ ସେ ପୂର୍ବାଞ୍ଚଳ ଜୋନସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲେ । ଏବେ ସେ ଯୋଡ଼ାଠାରେ ସ୍ଥାପିତ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମରେ ବ୍ୟାଡମିଣ୍ଟନ ପ୍ରଶିକ୍ଷକ ଭାବେ କାମ କରୁଛନ୍ତି । ଆଗାମୀ ଦିନରେ ହେବାକୁ ଥିବା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତା ଲାଗି ସେ ନିଜେ ଅଭ୍ୟାସ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦେଉଛନ୍ତି । ବର୍ତ୍ତମାନ ସମୟରେ ଶାରୀରିକ ଭାବେ ଫିଟ୍ ରହିବା ପାଇଁ ସମସ୍ତେ ଚାହୁଁଛନ୍ତି । ଏହାକୁ ଦୃଷ୍ଟିରେ ରଖି ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମଠାରେ ଆଧୁନିକ ବ୍ୟାୟାମ ଓ
ଯୋଗାଭ୍ୟାସ କେନ୍ଦ୍ର ସ୍ଥାପନ କରାଯାଇଛି । ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ସ୍ଥାନୀୟ ଅଞ୍ଚଳର ଖେଳାଳିଙ୍କ ସହିତ ବିଭିନ୍ନ ବର୍ଗର ଲୋକ ଏହି କେନ୍ଦ୍ରକୁ ଆସି ବ୍ୟାୟାମ ଓ ଯୋଗାଭ୍ୟାସ କରୁଛନ୍ତି ।
“ନିଜକୁ ଫିଟ୍ ରଖିବା ପାଇଁ ମୁଁ ଜିମ୍ ଯିବାକୁ ଚାହୁଁଥିଲି । ହେଲେ ଏଥିପାଇଁ ଆମ ଅଞ୍ଚଳରେ ବିଶେଷ ସୁବିଧା ନଥିଲା । ଏବେ ଇନ୍‌ଡୋର ଷ୍ଟାଡିୟମ ପରିସରରେ ବ୍ୟାୟାମ କେନ୍ଦ୍ର କରାଯାଇଛି । ଏଠାରେ ଆଧୁନିକ ଉପକରଣ ମଧ୍ୟ ରହିଛି । ମୁଁ ନିୟମିତ ଏହି କେନ୍ଦ୍ରକୁ ଆସି ସୁବିଧାରେ ବ୍ୟାୟାମ କରିପାରୁଛି,” କହିଛନ୍ତି ଚମ୍ପୁଆର ଜଣେ ବାସିନ୍ଦା ସୁନିତା ମହାନ୍ତ ।
ଇନ୍‌ଡୋର ଷ୍ଟାଡିୟମ ସପ୍ତାହରେ ୬ ଦିନ – ସକାଳେ ଓ ସନ୍ଧ୍ୟା ସମୟରେ ଖୋଲାରହୁଛି । ଫଳରେ ସ୍ଥାନୀୟ ଯୁବପିଢ଼ି ଓ ଖେଳାଳିମାନେ ଏଠାକୁ ନିୟମିତ ଆସି ବିଭିନ୍ନ କ୍ରୀଡ଼ା ଅଭ୍ୟାସ କରିପାରୁଛନ୍ତି । ସେମାନଙ୍କ ସୁବିଧା ପାଇଁ ଏଠାରେ ଚେଞ୍ଜିଂ ରୁମ୍ ସହିତ ପାନୀୟ ଜଳ ଓ ସ୍ୱଚ୍ଛ ଶୌଚାଳୟ ବ୍ୟବସ୍ଥା କରାଯାଇଛି । “କ୍ରୀଡ଼ା କ୍ଷେତ୍ରରେ ଆଗକୁ ଯିବା ଲାଗି ସ୍ୱପ୍ନ ଦେଖୁଥିବା ଯୁବପିଢ଼ି ଓ ଖେଳାଳିଙ୍କ ଭିତରେ ଆତ୍ମବିଶ୍ୱାସ ବୃଦ୍ଧି କରିଛି ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ । ଏଠାରେ ବିଭିନ୍ନ ପ୍ରକାର କ୍ରୀଡ଼ା ଲାଗି ପ୍ରଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯାଇଛି । ଫଳରେ କେନ୍ଦୁଝର ଜିଲ୍ଲାର ଯୁବକ ଯୁବତୀମାନେ ବିଭିନ୍ନ କ୍ରୀଡ଼ା ଅଭ୍ୟାସ କରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛନ୍ତି,” କହିଛନ୍ତି ଜିଲ୍ଲା କ୍ରୀଡ଼ା ଅଧିକାରୀ ଜିତେନ୍ଦ୍ର ମହାକୁଡ଼ । ଓମ୍ବାଡ୍‌ସିର ଆର୍ଥିକ ସହାୟତାରେ ଜିଲ୍ଲାରେ ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କରାଯିବା ଫଳରେ ହାତପାଆନ୍ତାରେ ଉନ୍ନତ କ୍ରୀଡ଼ା ଅଭ୍ୟାସ କରିବାର ସୁଯୋଗ ପାଇପାରୁଛନ୍ତି ଗ୍ରାମାଞ୍ଚଳର ଯୁବପିଢ଼ି । ଆଗାମୀ ଦିନରେ ଏହି ଅତ୍ୟାଧୁନିକ ଭିତ୍ତିଭୂମି କେନ୍ଦୁଝର ଜିଲ୍ଲା ପାଇଁ ବିଶେଷ ପରିଚୟ ଆଣିବାକୁ ଯାଉଛି । କେବଳ କ୍ରୀଡ଼ା ନୁହେଁ, ଏହି ବହୁମୁଖୀ ଇନ୍‌ଡୋର ଷ୍ଟାଡ଼ିୟମକୁ ଆବଶ୍ୟକ ସ୍ଥଳେ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ ଆଶ୍ରୟସ୍ଥଳୀ ଭାବେ ମଧ୍ୟ ବ୍ୟବହାର କରାଯିବ ।