June 27, 2025

Utkal Sambad

ଗଣିଆରେ ବିଜୁ ଜନତା ଦଳର ପାଓ୍ବାର ସୋ, ନିଜର ଦମ୍ ଦେଖାଇଲେ ବିଧାୟକ

ଗଣିଆ – (ମନୋଜ ମଳିକ): ଦୁଇ ଦିନ ତଳେ ପରିସ୍ଥିତି ଭିନ୍ନ ଥିଲା । ବିଜେଡିର ଜନସମ୍ପର୍କ ପଦଯାତ୍ରାରେ କମ୍ ସଂଖ୍ୟକ ଲୋକ ଯୋଗ ଦେବେ ବୋଲି ବିରୋଧୀମାନେ ଟିପ୍ପଣୀ ଦେଉଥିଲେ । କିନ୍ତୁ ଆଜି ଦିବା ୧୦ ଘଟିକା ପରେ ବଦଳିଗଲା ସ୍ଥିତି । ନିଜର ଦମ୍ ଦେଖାଇଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା। ଗଣିଆ ରେ ବିଜୁ ଜନତା ଦଳର ପାଓ୍ବାର ସୋରେ ନିନ୍ଦୁକ ମାନଙ୍କର ମୁହଁ ବନ୍ଦ ହୋଇଯାଇଥିବା ବେଳେ ଆଜି ବି ନବୀନ ପଟନାୟକ ତଥା ବିଜୁ ଜନତା ଦଳକୁ ଲୋକେ ଭରସା କରୁଛନ୍ତି ବୋଲି ପ୍ରମାଣିତ ହୋଇଯାଇଛି । ଆଜି ଦିବା ୧୨ ଘଟିକା ସମୟରେ ବିଜୟନଗର ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା । ଶୋଭାଯାତ୍ରାରେ ପ୍ରାୟ ୨ ହଜାରରୁ ଅଧିକ ଲୋକ ଯୋଗ ଦେଇଥିଲେ ।ଶୋଭାଯାତ୍ରା ଗଣିଆ ବଜାର ଦେଇ ସ୍ଥାନୀୟ ଚଉବଙ୍ଗ ତୋଟାରେ ପହଞ୍ଚିଥିଲା । ସେଠାରେ ଆୟୋଜିତ ସଭାରେ ବିଧାୟକ ରମେଶ ଚନ୍ଦ୍ର ବେହେରା,ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ଦଶପଲ୍ଲା ବ୍ଳକ ଅଧ୍ୟକ୍ଷା ସୁନନ୍ଦା ସାହୁ, ନୂଆଗାଁ ବ୍ଳକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, ଭାପୁର ବ୍ଳକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ବରିଷ୍ଠ ବିଜେଡ଼ି ନେତା ପ୍ରଦୀପ କୁମାର ସାହୁ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମହେଶ୍ୱର ମହାରଣାଙ୍କ ସମେତ ନୂଆଗାଁ,ଗଣିଆ, ଦଶପଲ୍ଲାର ବରିଷ୍ଠ ନେତା ସାମିଲ ହୋଇଥିଲେ । ସମସ୍ତ ନେତା ମାନେ ବିଜେପି ଶାସନ ଉପରେ ପ୍ରବଳ ବର୍ଷିଥିଲେ । ବିଜେପିର ନେତା ମାନେ ଜନସାଧାରଣଙ୍କୁ ମିଛ ପ୍ରତିଶୃତି ଦେଇ ଭୋଟ ହାତେଇଥିବା ବେଳେ ଏବେ ପ୍ରତାରଣା କରିଛି । ଜନସାଧାରଣ ଏହାର ଉଚିତ୍ ଜବାବ ଦେବା ସହିତ ଆଗାମୀ ଦିନରେ ପୁଣିଥରେ ବିଜୁ ଜନତା ଦଳ ଉପରେ ଭରସା କରିବେ ବୋଲି ନେତାମାନେ ଦୃଢୋକ୍ତି ପ୍ରକାଶ କରିଥିଲେ । ମହିଳା ମାନଙ୍କୁ ସୁଭଦ୍ରା ଯୋଜନାରେ ସରକାର ଠକିବା ସହିତ ରଙ୍ଗ ବୋଳିବାରେ ମାତିଛନ୍ତି ବୋଲି ଅତିଥି ମାନେ କ୍ଷୋଭର ସହିତ ପ୍ରକାଶ କରିଥିଲେ । ଆଗାମୀ ଦିନରେ ସମସ୍ତେ ଏକତ୍ରିତ ହୋଇ ମାନ୍ୟବର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଉପରେ ଆସ୍ଥା ପ୍ରକଟ କରି ଆଗାମୀ ପଞ୍ଚାୟତ ନିର୍ବାଚନରେ ପୁଣିଥରେ ବିଜେଡିକୁ ଭୋଟ ଦେବା ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ । ଗଣିଆ ବ୍ଳକର ସଭାପତି ସଦାଶିବ ମିଶ୍ରଙ୍କ ନେତୃତ୍ବରେ ଆଜିର ଏହି କାର୍ଯ୍ୟକ୍ରମ ପାଳିତ ହୋଇଯାଇଥିବା ବେଳେ ସମସ୍ତ କର୍ମୀ ଏଥିରେ ସହଯୋଗ କରିଥିଲେ ।