March 11, 2026

Utkal Sambad

କ୍ରିକେଟ ଖେଳକୁ ନେଇ ଗଣ୍ଡଗୋଳ: କଳ୍ପନା-ରସୁଲଗଡ଼ ରାସ୍ତା ଅବରୋଧ

ଭୁବନେଶ୍ବର: କ୍ରିକେଟ ଖେଳକୁ ନେଇ ଗଣ୍ଡଗୋଳ ଯୋଗୁ କଳ୍ପନା-ରସୁଲଗଡ଼ ରାସ୍ତା ଅବରୋଧ କରାଯାଇଛି। ଲକ୍ଷ୍ମୀସାଗର ଛକଠାରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି। ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ ଚଳାଇଥିଲେ ହେଁ ସଫଳ ହୋଇନାହିଁ। ରାସ୍ତା ଅବରୋଧକାରୀଙ୍କୁ ପୁଲିସ ରାସ୍ତାରୁ ଉଠାଇ ନେବାକୁ ଉଦ୍ୟମ କରିଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।

ସୂଚନା ଅନୁସାରେ, ଲକ୍ଷ୍ମୀସାଗର ଅଞ୍ଚଳରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଅତିଥି ନିମନ୍ତ୍ରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ସ୍ଥାନୀୟ ପଡ଼ିଆରେ କ୍ରୀଡ଼ା ଆୟୋଜନ ପାଇଁ ପୁଲିସ ବାରଣ କରିଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ମଧ୍ୟାହ୍ନ ପ୍ରାୟ ୧୨ଟାରୁ ଲକ୍ଷ୍ମୀସାଗର ଛକରେ ଲୋକେ ରାସ୍ତାରୋକୋ କରିଥିଲେ। ଫଳରେ ଦୁଇ ପାର୍ଶ୍ବ ରାସ୍ତାରେ ଶହ ଶହ ଗାଡ଼ିମୋଟର ଅଟକି ରହିଥିଲା। ଫଳରେ ରାସ୍ତା ଜାମ ହୋଇଯାଇଥିଲା। ପରେ ପୁଲିସ ପହଞ୍ଚି ରାସ୍ତାରୁ ଆନ୍ଦୋଳନକାରୀଙ୍କୁ ହଟାଇଥିଲା। ଏହା ପରେ ଗାଡ଼ି ଚଳାଚଳ ସାମାନ୍ୟ ସ୍ବାଭାବିକ ହୋଇଥିଲା।